ରାଜ୍ୟକୁ ମାଡି ଆସୁଛି ବଡ ବିପଦ, ବଡ ବର୍ଷା ସହ ବିଜୁଳି ଘଡ଼ଘଡି କରିବ ସର୍ବନାଶ। ଧାନ ଫସଲ ଧୋଇବା ପରେ ଏବେ ରବି ଫସଲ ଛାରଖାର କରିବ ବର୍ଷା। ଘଡଘଡି କୁଆପଥର ସହ ବିଭିନ୍ନ ଅଞ୍ଚଳରେ ତାଣ୍ଡବ କରିବ ଅଦିନିଆ ବର୍ଷା। ଆହୁରି ୫ ଦିନ ରାଜ୍ୟରେ ହେବ ପ୍ରବଳ ବର୍ଷା। ଗୁରୁବାର ରାତିରେ ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ଫସଲ ନଷ୍ଟ କରିଥିବା ବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ଆହୁରି ୫ ଦିନ ବର୍ଷା ହେବ । ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଗୁରୁବାର ପ୍ରବଳ ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ଆହୁରି ୫ଦିନ ପର୍ଯ୍ୟନ୍ତ ବିଶେଷକରି ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ଷା ପାଇଁ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୮ ଜିଲ୍ଲାରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ସହ କୁଆପଥର ବୃଷ୍ଟି ହେବା ସମ୍ଭାବନା ରହିଛି। ସେହିପରି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ପ୍ରତଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବର୍ଷା ପାଇଁ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡା ଏବଂ ଦେବଗଡ଼କୁ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ କ୍ଷେତରେ ଡାଲି ଜାତୀୟ ଫସଲ ଓ ପନିପରିବା ପାକଳ ହୋଇଥିବା ବେଳେ ଏହା ସତ୍ୟାନସ ହେବା ଆଶଙ୍କାରେ ରହିଛି ଚାଷୀ କୁଳ। ପାଚିଲା ଧାନକୁ ଗଜା କରିଥିଲା ଅଦିନିଆ ବର୍ଷା ଆଉ ଏବେ ରବି ଫସଲ ଖାଇଦେବ ବୋଲି ଚାଷୀ ଦୁଃଖରେ କହୁଛନ୍ତି।

