ବନ୍ଦ ହୋଇଥିବା ସ୍କୁଲ୍ ଖୋଲିବା ନେଇ କିଛି ବ୍ୟବସ୍ଥା ରହିଛି ନା ନାହିଁ । ଏନେଇ ଗୃହରେ ପ୍ରଶ୍ନ କରିଥିଲେ ଅତାବିରା ବିଧାୟକ ନିହାର ମହାନନ୍ଦ । ଏହାର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି , ପୂର୍ବ ସରକାର ତରବରିଆ ଭାବରେ, ଠିକ୍ ଭାବେ ବିଚାର ନକରି ଛାତ୍ରଛାତ୍ରୀ ସଂଖ୍ୟା କମ ଥିବା ସମୁଦାୟ ୫୬୩୨ଟି ସ୍କୁଲ ମିଶ୍ରଣ କରିଛନ୍ତି । ୧୦୦ ମିଟର ବ୍ୟବଧାନରେ ଥିବା ୨୧୨୫ଟି ସାଟେଲାଇଟ୍ ସ୍କୁଲ ବି ମିଶ୍ରଣ କରାଯାଇଛି । ସଂରକ୍ଷିତ ଅଞ୍ଚଳ ୨୦ ଓ ଅଣସଂରକ୍ଷିତ ଅଞ୍ଚଳରେ ୪୦ ପିଲା ଥିଲେ, ସ୍କୁଲ ଖୋଲିବାକୁ ବିଚାର କରାଯିବ । ଏହି ପ୍ରକ୍ରିୟା ଅନୁସାରେ ଆବେଦନ କରାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଏହାସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ନୂଆ ସରକାର ଏପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ଦେଇ ସାରିଲେଣି । ଆଗକୁ ଆହୁରି ୧୦ ହଜାର ଶିକ୍ଷକ ନିଯୁକ୍ତ ହେବେ । ପିଅନ ଓ କିରାଣୀର ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ । ଏହାପରେ ବନ୍ଦ ହୋଇଥିବା ସ୍କୁଲ୍ ସବୁ ଖୋଲିବ।

