ବିଧାନସଭା ଇତିହାସରେ ପୁଣି ନୂଆ ରେକର୍ଡ ଲେଖା ହେଲା। ପ୍ରାୟ ଦୁଇ ଦଶନ୍ଧି ପରେ ରାତିତମାମ ଚାଲିଲା ବିଧାନସଭା। ବିରୋଧୀଙ୍କୁ ପାଣି ପିଆଇ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍ ୨୦୨୪ । ଏହାସହ ପାରିତ ହେଲା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ ୨୦୨୪। ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଗୃହରେ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଦୁଇ ମହିଳା ବିଧାୟିକା ଉପାସନା ମହାପାତ୍ର ଏବଂ ସଞ୍ଜଳି ମୁର୍ମୁ ଶେଷ ଯାଏଁ ଗୃହରେ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ ବୁଧବାର ଅପରାହ୍ଣ ୪ଟାରୁ ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ୍ ବିରୋଧୀ ଏବଂ ଶାସକ ଦଳ ଭିତରେ ଏକ ଘମାଘୋଟ ଲଢେଇ ସାମ୍ନାକୁ ଆଣିଥିଲା । ବିଜେଡି ବିଧାୟକ ଅରୁଣ ସାହୁ ୩ ଘଣ୍ଟା ୧୦ ମିନିଟରୁ ଅଧିକ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଢ଼ ଘଣ୍ଟାରୁ ଅଧିକ, ଗଣେଶ୍ବର ବେହେରା ୧ ଘଣ୍ଟାରୁ ଅଧିକ ସମୟ ଧରି ନିଜର ଯୁକ୍ତି ରଖିଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଘଂଟାଏରୁ ଅଧିକ ସମୟ ଧରି କାଉଣ୍ଟର କରିଥିଲେ । ବିଜେପି ବିଧାୟକମାନେ ମଧ୍ୟ ଆଲୋଚନାରେ ଭାଗ ନେଇ ବିରୋଧୀଙ୍କୁ କଡା କାଉଣ୍ଟର କରିଥିଲେ । ସାଢେ ୧୨ ଘଣ୍ଟା ଧରି ବହୁ ଯୁକ୍ତି ତର୍କ ଏବଂ ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ ୨୦୨୪ ବିଧାନସଭାରେ ପାରିତ ହୋଇଛି। ଭୋର ସମୟରେ ଓଡ଼ିଶା ପ୍ରତି ଶିକ୍ଷାର ସୂର୍ଯ୍ୟୋଦୟ ହେବ ବୋଲି କହିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ତେବେ ବିଧାନସଭାରେ ବିଲ ପାସ ହେବାର ରେକର୍ଡ ରହିଛି ୨୦୦୩ ପୁଲିସ ବିଲ ପାସ ସମୟର। ତତ୍କାଳନୀ ମିଳିତ ସରକାର ୨୦୦୩ ନଭେମ୍ବର ୧୦ ତାରିଖରେ ପୁଲିସ ବିଲ ଆଣିଥିଲେ। ଏହି ବିଲ ୨୦୦୩ ନଭେମ୍ବର ୧୧ ଅପରାହ୍ନ ୩ଟା ୫୬ରୁ ଆରମ୍ଭ ହୋଇ ନଭେମ୍ବର ୧୨ ସକାଳ ୮ଟା ୩୨ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ସାଢେ ୧୬ ଘଣ୍ଟା ପର୍ଯ୍ୟନ୍ତ ବିଲ ପାସ ପାଇଁ ଚାଲିଥିବା ବିଧାନସଭା ସର୍ବକାଳୀନ ରେକର୍ଡ ରହିଛି। ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ପାରିତ ହେବା ପାଇଁ ସାଢେ ୧୨ ଘଣ୍ଟା ସମୟ ଲାଗିଛି।
ଏହାସହ ଶେଷ ହୋଇଛି ସପ୍ତଦଶ ବିଧାନସଭା ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଗକୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ। ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ।

